Thursday, April 20, 2023
Press Release dated 20.04.2023 of NJCA / JFROPS Odisha
ପ୍ରେସ ଇସ୍ତାହାର
ଏକକ ଭାବେ ନିଜ ନିଜ ସଂଗଠନ ଜରିଆରେ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇ ଶ୍ରମିକ ଓ କର୍ମଚାରୀମାନେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ବି କୌଣସି ସୁଫଳ ନ ମିଳିବାରୁ, ୮ ଡିସେମ୍ବର ୨୦୨୨, ୭ ଓ ୨୧ ଜାନୁୟାରୀ ୨୦୨୩ରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ ବା National Joint Council of Action (NJCA) ଅନ୍ତର୍ଭୁକ୍ତ ରେଳବାଇ ସହ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଓ ଶିକ୍ଷକମାନଙ୍କ ସହ ସମସ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କର ନୂଆଦିଲ୍ଲୀରେ ତିନି ତିନୋଟି ମିଳିତ ବୈଠକ ଅନୁଷ୍ଠିତ ହୋଇ ସମସ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀ ଓ ଶ୍ରମିକମାନେ ସାମନା କରୁଥିବା ସମସ୍ୟାଗୁଡିକର ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ସେଗୁଡିକର ଆଶୁ ସମାଧାନ ନିମିତ୍ତ ସର୍ବସମ୍ମତି କ୍ରମେ ୨୦୨୩ ପାଇଁ ବର୍ଷସାରାର ଏକ ଆନ୍ଦୋଳନାତ୍ମକ ଚିଠା ପ୍ରସ୍ତୁତ କରିଛନ୍ତି। ବିଶେଷ ଭାବେ ନୂତନ ପେନସନ ଯୋଜନା (ଏନପିଏସ) ବାତିଲ ସହ ପୁରାତନ ପେନସନ ଯୋଜନା(ଓପିଏସ)ର ପୁନଃ ପ୍ରଚଳନ ପାଇଁ ଏକ ମିଳିତ ମଞ୍ଚ 'ଜଏଣ୍ଟ ଫୋରମ ଫର୍ ରେଷ୍ଟୋରେସନ ଅଫ୍ ଓଲ୍ଡ ପେନସନ ସ୍କିମ୍' (JFROPS) ଗଠିତ ହୋଇ ଜିଲ୍ଲା ସ୍ତରରୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ ସମସ୍ତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମଗୁଡିକର ସଫଳ ରୁପାୟନ ପାଇଁ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦର କେନ୍ଦ୍ରୀୟ ସଂଗଠନ ପ୍ରତ୍ୟେକ ରାଜ୍ୟ ସଂଗଠନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି।
ତଦନୁସାରେ, ଏନଜେସିଏ ଓଡ଼ିଶା ଶାଖା ତରଫରୁ ୨୦୨୩ ଜାନୁୟାରୀରୁ ପ୍ରତ୍ୟେକ ମାସ ବିଶେଷଭାବରେ ଏନପିଏସ ଉଚ୍ଛେଦ ଦାବିରେ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ନବ୍ୟ ଉଦାରବାଦ ନୀତି ପରିଚାଳନାର ଏକ ଅଂଶ ବିଶେଷ ଭାବେ ୨୨ ଡିସେମ୍ବର ୨୦୦୩ର ଏକ କାର୍ଯ୍ୟକାରୀ ଆଦେଶ ବଳରେ କେନ୍ଦ୍ର ବେସାମରିକ ସରକାରୀ କର୍ମଚାରୀମାନଙ୍କ ପାଇଁ ଜାନୁୟାରୀ ପହିଲା ୨୦୦୪ରୁ ଓପିଏସ ବାତିଲ ହୋଇ ଏନପିଏସର ପ୍ରଚଳନ ହେଲା।କର୍ମଚାରୀଙ୍କ ତରଫରୁ କୌଣସି ଦେୟ ନ ଥାଇ ଓପିଏସରେ ଶେଷ ଦରମାର ୫୦% ପେନସନ ଆକାରରେ ମିଳୁଥିଲା ବେଳେ ଏନପିଏସରେ ମାସିକ କର୍ମଚାରୀଙ୍କ ଦେୟ ମୂଳ ଦରମାର ୧୦% ଓ ସରକାରଙ୍କ ଦେୟ ୧୪% ଥାଇ ମଧ୍ୟ ତାହା ପାଖାପାଖି ୮%ରେ ସୀମିତ ରହୁଛି ଯାହା କୋଟି କୋଟି କର୍ମଚାରୀ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ। ଏନପିଏସ ଉପଭୋକ୍ତାମାନେ ସରକାରୀ ଚାକିରୀରୁ ଅବସର ନେଇ ପରିବାର ପ୍ରତିପୋଷଣ ପାଇଁ କିଏ ପରିବା ବିକୁଛି ତ କିଏ ପାନ ଦୋକାନ ଖଣ୍ଡେ କରି ଚଳୁଛି। ପେନସନ କାହାରି ଦାନ ବା ଦୟା ନୁହେଁ, ବରଂ ଏହା ଏକ କର୍ମଚାରୀର ସାମ୍ବିଧାନିକ ଅଧିକାର। ବୟସର ଅପରାହ୍ନରେ କର୍ମଚାରୀର ଏହା ଏକ ଆଶାବାଡ଼ି ଓ ସାମାଜିକ ସୁରକ୍ଷା। ସାମ୍ପ୍ରତିକ ପରିସ୍ଥିତିରେ ବୟସ୍କ ନାଗରିକମାନଙ୍କ ପ୍ରତି ପରିବାର ସଦସ୍ୟଙ୍କ ବ୍ୟବହାର ନ କହିବା ଭଲ। ଏଇ ପେନସନ ଯୋଗୁଁ ସମାଜରେ ସେମାନଙ୍କର ସ୍ଥିତି କିଛି ପରିମାଣରେ ସୁରକ୍ଷିତ। ଦେଶର ଜନ ପ୍ରତିନିଧିମାନେ ମାତ୍ର ୫ବର୍ଷ ପାଇଁ ନିର୍ବାଚିତ ହୋଇ ନିଜର ବେତନ ଓ ଭତ୍ତା ବୃଦ୍ଧି କରି ଓପିଏସ ଆଧାରରେ ଏକାଧିକ ପେନସନର ସୁବିଧା ସୁଯୋଗ ଉପଭୋଗ କରୁଥିବା ବେଳେ, ସମ୍ପୂର୍ଣ୍ଣ ଯୋଗ୍ୟତା ଭିତ୍ତିରେ ୩୫ରୁ ୪୦ବର୍ଷ ଚାକିରୀ କରୁଥିବା କର୍ମଚାରୀଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରିବା ଭାରତ ଭଳି ଏକ ଜନ ମଙ୍ଗଳ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ।
ସପ୍ତମ ବେତନ ଆୟୋଗ ୨୦୧୫ରେ ତାଙ୍କର ରିପୋର୍ଟ ପ୍ରଦାନ କଲାବେଳେ ସମସ୍ତ କେନ୍ଦ୍ର ସରକାରୀ ଦପ୍ତରରେ ସାତ ଲକ୍ଷରୁ ଅଧିକ ନିୟମିତ ପଦବୀ ଖାଲି ପଡିଥିଲା ବୋଲି ଉଲ୍ଲେଖ କରିଥିଲେ ଯାହା ଏବେ ବଢି ବଢି ଏଗାର ଲକ୍ଷ ଟପିଲାଣି। ତାବାଦ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଅଧିନରେ ଲକ୍ଷ ଲକ୍ଷ ଚୁକ୍ତିଭିତ୍ତିକ, ସାମୟିକ ତଥା ଠିକା କର୍ମଚାରୀ ଓ ବିଶ୍ୱର ସର୍ବ ବୃହତ ଡାକ ସଂସ୍ଥା ଭାରତୀୟ ଡାକର ୩ଲକ୍ଷ ଗ୍ରାମୀଣ ଡାକ ସେବକ ନିୟମିତ ହେବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷାରତ। କେନ୍ଦ୍ର ସରକାର ତାଙ୍କର ଘରୋଇକରଣ ଓ ଉଦ୍ୟୋଗୀକରଣ ନୀତିକୁ କ୍ଷୀପ୍ରତର କରିବା ପାଇଁ ଡାଉନସାଇଜିଂ ଓ ଆଉଟସୋର୍ସିଂ ନାଁ'ରେ ଦିନକୁ ଦିନ ଏକ ପକ୍ଷରେ ପଦବୀ ସଂଖ୍ୟା ସଂକୁଚିତ ହୋଇଚାଲିଛି।
କର୍ମଚାରୀଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ସମୁଦାୟ ୪୪ଟି ଶ୍ରମ ଆଇନରୁ ୧୫ଟିକୁ ସଂପୂର୍ଣ୍ଣ ଉଚ୍ଛେଦ କରି ବାକି ୨୯ଟି ଅଧିନିୟମକୁ କେନ୍ଦ୍ର ସରକାର ନିଯୁକ୍ତିଦାତାଙ୍କୁ ସୁହାଇଲା ଭଳି ୪ଟି ଶ୍ରମ କୋଡରେ ପରିଣତ କରିଛନ୍ତି। ଶ୍ରମ କୋଡ ଲାଗୁହେଲେ କିଛି ନିର୍ଦ୍ଦିଷ୍ଟ ଉଦ୍ୟୋଗପତିଙ୍କୁ ସୁହାଇବ ସିନା, ନିରବଚ୍ଛିନ୍ନ ସଂଘର୍ଷ ଦ୍ୱାରା ପ୍ରାପ୍ତ ଦୈନିକ ନିର୍ଦ୍ଦିଷ୍ଟ ୮ ଘଣ୍ଟା କାର୍ଯ୍ୟର ସମୟ ସୀମା, ସର୍ବନିମ୍ନ ଓ ସମାନ କାମକୁ ସମାନ ମଜୁରି, ବୋନସ, ମହଙ୍ଗା ଭତ୍ତା, ଗସ୍ତ ଖର୍ଚ୍ଚ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧାର ମାନ ନିର୍ଦ୍ଧାରଣ, ସାମୟିକ ଓ ଅର୍ଜିତ ଛୁଟି, ସାପ୍ତାହିକ କାର୍ଯ୍ୟ ଦିବସ, କାର୍ଯ୍ୟସ୍ଥଳୀରେ ସ୍ୱାସ୍ଥ୍ୟ ଓ ଜୀବନର ନିରାପତ୍ତା ଇତ୍ୟାଦି ସହ ଶ୍ରମିକ ସଂଗଠନର ହକ୍ ପାଇଁ କଥାବାର୍ତ୍ତାର ଅଧିକାର ସଙ୍କଟାପନ୍ନ ହେବ।
ତେଣୁ କର୍ମଚାରୀଙ୍କ ସ୍ୱାର୍ଥର ସୁରକ୍ଷା ଦୃଷ୍ଟିରୁ ଏହି ଆନ୍ଦୋଳନକୁ ତ୍ୱରାନ୍ୱିତ କରି ଅଧିକ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଆସନ୍ତା ୨୬ ଏପ୍ରିଲ ୨୦୨୩ରେ ଓଡିଶା ପରିମଣ୍ଡଳର ରେଳବାଇ ସହ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଓ ଶିକ୍ଷକମାନଙ୍କ ସହ ସମସ୍ତ ରାଜ୍ୟ ସରକାରୀ କର୍ମଚାରୀମାନଙ୍କର ଭୁବନେଶ୍ୱରର ଲୋୟର ପିଏମଜିରେ ଏକ ମିଳିତ କର୍ମଚାରୀ ମହାସମାବେଶ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମହାସମାବେଶରେ ଉଭୟ କେନ୍ଦ୍ର ଓ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ଏବଂ ଶିକ୍ଷକମାନଙ୍କର ନିମ୍ନୋକ୍ତ ମୂଖ୍ୟ ଦାବି, ଯଥା, ଏନପିଏସର ସମ୍ପୂର୍ଣ୍ଣ ଉଚ୍ଛେଦ ସହ ଓପିଏସର ପୁନଃ ପ୍ରଚଳନ, ଅଷ୍ଟମ ବେତନ ଆୟୋଗ ଗଠନ, ସରକାରୀ ଦପ୍ତରରେ ଖାଲି ପଡିଥିବା ସମସ୍ତ ପଦବୀ ପୁରଣ, ସରକାରୀ ସଂସ୍ଥାର ଘରୋଇକରଣ ଓ ଆଉଟସୋରସିଂ ବନ୍ଦ, ସମସ୍ତ ସାମୟିକ, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସହ ଗ୍ରାମୀଣ ଡାକସେବକମାନଙ୍କର ନିୟମିତୀକରଣ, ୧୮ ମାସର ବକେୟା ମହଙ୍ଗା ଭତ୍ତା ପ୍ରଦାନ, ଶ୍ରମକୋଡ ପ୍ରତ୍ୟାହାର, ଶ୍ରମିକ ସଂଗଠନର ହକର ସୁରକ୍ଷା ପ୍ରଦାନ, ଓଡ଼ିଶାର ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀମାନଙ୍କୁ ନିୟମାନୁସାରେ ଅନୁଦାନ ପରିସରଭୁକ୍ତ, ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ଏକକ ଭାବେ ୦୧.୦୧.୨୦୧୬ରୁ ସପ୍ତମ ବେତନ ଆୟୋଗର ସୁପାରିଶ ଲାଗୁ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକୁ ସରକାରୀକରଣ ଇତ୍ୟାଦି ଉପରେ ଆଲୋଚନା କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କର ସାଧାରଣ ସମସ୍ୟାର ସମାଧାନ ପାଇଁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଓଡିଶାର ମାନ୍ୟବର ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ସେହିପରି ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ଏବଂ ଶିକ୍ଷକମାନଙ୍କର ସମସ୍ୟା ସମ୍ବଳିତ ଦାବିପତ୍ର ମାନ୍ୟବର ଓଡିଶା ମୂଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।
ଏଥିରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଏନପିଏସ ଉପଭୋକ୍ତାଙ୍କ ସହ କର୍ମଚାରୀ ଓ ପେନସନ ଭୋଗୀମାନେ ହଜାର ହଜାର ସଂଖ୍ୟାରେ ଭାଗନେବେ। ଓଡ଼ିଶାରେ କର୍ମଚାରୀମାନଙ୍କର ଏହି ଐତିହାସିକ ଆନ୍ଦୋଳନକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ସହ ବ୍ୟାଙ୍କ, ଜୀବନ ବୀମା କର୍ମଚାରୀ ଓ ଅନ୍ୟାନ୍ୟ ଭାତୃପ୍ରତିମ ସଂଗଠନମାନଙ୍କର ସମର୍ଥନ ରହିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଦି କର୍ମଚାରୀ ପକ୍ଷର ନେତୃମଣ୍ଡଳୀ ସହ ଆଲୋଚନା କରି ଉପରୋକ୍ତ ସମସ୍ୟାର ଆଶୁ ସମାଧାନ ନ କରନ୍ତି, ତେବେ ଆଗାମୀ ଦିନରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଏନଜେସିଏ ଓଡ଼ିଶାର ଆବାହକ ତଥା ପୂର୍ବତଟ ରେଳପଥ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ସାଥୀ ପି କେ ପାଟସାହାଣୀ , କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ, ଓଡିଶା ରାଜ୍ୟ ସମ୍ମନ୍ୱୟ ସମିତିର ସଭାପତି ସାଥୀ ରବୀନ୍ଦ୍ରନାଥ ଧଳ ଓ ସାଧାରଣ ସମ୍ପାଦକ ସାଥୀ ବୃହସ୍ପତି ସାମଲ, ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ସାଥୀ ବି ବି ପାଣିଗ୍ରାହୀ ଓ ସାଧାରଣ ସମ୍ପାଦକ ସାଥୀ ପ୍ରକାଶ ଚନ୍ଦ୍ର ମହାନ୍ତି, ଓଡିଶା ଆୟକର ବିଭାଗ କର୍ମଚାରୀ ମହାସଂଘ ର ସାଧାରଣ ସମ୍ପାଦକ ଚିତ୍ତ ରଞ୍ଜନ ପଟନାୟକ, ଓଡିଶା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ର ସାଧାରଣ ସମ୍ପାଦକ ପଞ୍ଚାନନ ଜେନା , ଅଲୋସ୍ତା ର ସାଧାରଣ ସମ୍ପାଦକ ସୁକାନ୍ତ ବେହେରା ,ଜି .ଏସ. ଟି (AIASCT)ର ସାଧାରଣ ସମ୍ପାଦକ କେ. କେ. କୌଶଲ ଏକ ମିଳିତ ପ୍ରେସ ବିବୃତିରେ ସରକାରଙ୍କୁ ଦୃଢ ଚେତାବନୀ ଦେଇଛନ୍ତି।
ଶ୍ରୀ ପି କେ ପାଟ୍ଟସାହାଣୀ
ଆବାହକ , ଏନଜେସିଏ ଓଡିଶା ଶାଖା
ସାଧାରଣ ସମ୍ପାଦକ, ପୂର୍ବତଟ ରେଳପଥ ଶ୍ରମିକ ସଂଘ